ପରଲୋକରେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର |

Love with Khabar Satyabadi

ଖବର ସତ୍ୟବାଦୀ ଓଡ଼ିଆ NEWS :ଭୁବନେଶ୍ୱର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ। ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନଧରି ଅସୁସ୍ଥ ରହି ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମଧୁମେହ, ଉଚ୍ଚ ରକ୍ତଚାପ, ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ ମାଗୁଣି। କିଛିଦିନ ପୂର୍ବେ ଭୁବନେଶ୍ଵରରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ଆଜି ସକାଳୁ କେନ୍ଦୁଝରଗଡ଼ ପୌରପାଳିକାର ପୁରୁଣା ସହର ସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି। ମାଗୁଣିଙ୍କ ଦେହାନ୍ତରେ ପୂରା କେନ୍ଦୁଝର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। କେନ୍ଦୁଝର ପୁରୁଣା ସହରର ବୈଦ୍ୟରାଜ ସାହିର ମାଗୁଣି ଚରଣ କୁଅଁର।

ପରିଚୟ ତାଙ୍କର କାଠି କଣ୍ଢେଇ କାରିଗର। ବୟସର ଅପରାହ୍ନରେ ବି ମାଗୁଣି କାଠ ଖୋଦେଇ, ମୃଣ୍ମୟୀ ମୂର୍ତ୍ତି ଓ ସିମେଣ୍ଟ ମୂର୍ତ୍ତି ତିଆରିରେ ସିଦ୍ଧହସ୍ତ ଥିଲେ। ଏକାଧାରରେ ସେ ଜଣେ କାଠି କଣ୍ଢେଇ ଶିଳ୍ପୀ, କାଠ, ମାଟି, ପଥର ଓ ସିମେଣ୍ଟର ନିଖୁଣ ମୂର୍ତ୍ତି କାରିଗର। ଜିଲ୍ଲା, ରାଜ୍ୟ ସହ, ଦେଶ ବିଦେଶରେ ତାଙ୍କ କଣ୍ଢେଇ ନୃତ୍ୟର ଆଦର ବେଶ୍ ଅଧିକ ରହିଛି। ବିଗତ ୭୦ବର୍ଷ ହେବ ସେ ନିଜ ସାଧନା ଜାରି ରଖିଥିଲେ, ଗତବର୍ଷ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

୨୦୦୪ ମସିହାରେ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦତ୍ତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ୨୦୧୩ ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୨୦୧୪ ମସିହା ପାଇଁ ଓଡିଶା ନୃତ୍ୟ ଏକାଡେମୀ ପକ୍ଷରୁ ଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରୁଚିବୁଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS