ଗୋପଜୟନ୍ତୀ ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS :ପବିତ୍ର ଗୋପଜୟନ୍ତୀ ପ୍ରତିଷ୍ଠା ଦିବସ କୁ ମନେ ରଖିଛନ୍ତି କୁଳପତି ପ୍ରଫେସର ସବିତା ପ୍ରଧାନ |ଓଡ଼ିଆ ଅସ୍ମିତା ର ପରିଚୟ ସତ୍ୟବାଦୀ ଓଡ଼ିଆ ବିଶ୍ଵବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ ୩ ଦିନ ଧରି ପାଳିତ ହୋଇଯାଇଛି,ଗତ ୦୭ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ର ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରସ୍ତୁତ ନାନା ପ୍ରକାର ର ରୁଚିକର ଖାଦ୍ୟ କୁ ନେଇ ଆକର୍ଷଣୀୟ ପ୍ରଦର୍ଶନ, ଦ୍ୱତୀୟ ଦିନରେ ଗଛ ମଣିଷ ଭାବରେ ପରିଚିତ ପ୍ରଦୀପ କୁମାର ଦଳେଇ ଙ୍କ ତତ୍ୱାବଧାନ ରେ ବିଶ୍ୱ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା, ଶେଷ ଦିନରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜନ୍ମ ଜୟନ୍ତୀ ଓ ପ୍ରଥମ ପ୍ରତିଷ୍ଠା ଦିବସ କୁ ଧୁମ୍ ଧାମ ରେ ପାଳନ କରାଯାଇଥିଲା,ଓଡ଼ିଆ ବିଶ୍ଵବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସରେ କୁଳପତି ପ୍ରଫେସର ସବିତା ପ୍ରଧାନଙ୍କ ସଭାପତିତ୍ୱରେ ଶୁଭ ଉଦ୍ଘାଟନ କରିଥିଲେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଦ୍ୟୁମ୍ନ କୁମାର ମିଶ୍ର ସ୍ଵାଗତଭାଷଣ ପ୍ରଦାନ କରିବାପରେ କୁଳସଚିବ ସୁଶ୍ରୀ ରଶ୍ମୀରେଖା ଦାସ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ସତ୍ୟବାଦୀ ମାଟିର ମହତ୍ତ୍ଵ, ପଞ୍ଚସଖାଙ୍କ ସ୍ଵପ୍ନ ଓ ଓଡ଼ିଆଙ୍କ ଗରିମା ସମ୍ପର୍କରେ ଉଦବୋଧିତ କରିଥିଲେ । ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ ଡ. ଗୌରହରି ଦାସ ଓଡ଼ିଶାରେ ଓଡ଼ିଆ ଭାଷାକୁ ନେଇ ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ଵାତନ୍ତ୍ର୍ୟ, ଭାଷା – ସାହିତ୍ୟର ସର୍ଜନଶୀଳ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଉତ୍ସବର ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ଡ. ଦାଶ ବେନହୁର ବିଶ୍ଵବିଦ୍ୟାଳୟର ଶିକ୍ଷାବ୍ୟବସ୍ଥା ଓ ଓଡ଼ିଆ ଭାଷା ସମ୍ପର୍କୀୟ ମହତ୍ତ୍ଵର ଦିଗଦର୍ଶନ ଦେଇଥିଲେ । ଏହି ଅବକାଶରେ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ଡ. ଦାଶରଥି ଦାସ, ଆଚାର୍ଯ୍ୟ ଭାବାନନ୍ଦ, ଡ. କୃଷ୍ଣଚନ୍ଦ୍ର ମିଶ୍ର ଏବଂ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦଳାଇଙ୍କୁ ଯଥାକ୍ରମେ ଭାଷା, ସାହିତ୍ୟ, ସଂସ୍କୃତି, କଳାସ୍ଥାପତ୍ୟ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ପଞ୍ଚସଖା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କୁଳପତି ପ୍ରଫେସର ସବିତା ପ୍ରଧାନ ସମସ୍ତଙ୍କୁ ସମ୍ବୋଧିତ କରି ଓଡ଼ିଆ ବିଶ୍ଵବିଦ୍ୟାଳୟର ଲକ୍ଷ୍ୟ, ପାଠ୍ୟକ୍ରମ ଏବଂ ଶିକ୍ଷଣ ବ୍ୟବସ୍ଥା ସମ୍ପର୍କରେ ସୁଚିନ୍ତିତ ଅଭିବ୍ୟକ୍ତି ପ୍ରଦାନ କରି ଭବିଷ୍ୟତର ନକ୍ସା ଅଙ୍କନ କରିଥିଲେ । ତିନି ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରାଶାସନିକ କର୍ମଚାରୀ, ବିଭାଗୀୟ ଅଧ୍ୟାପକ/ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ନିରଳସ ଉଦ୍ୟମ ପ୍ରଶଂସନୀୟ ଥିଲା । ପରିଶେଷରେ ଓଡ଼ିଆ ଭାଷା ଓ ସାହିତ୍ୟ ମୁଖ୍ୟ ଶ୍ରୀ ନାରାୟଣ ପ୍ରସାଦ ବେହେରା ସଭାକାର୍ଯ୍ୟର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ସାଙ୍ଗ ହେବାପରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ NEWS…