ଅଣସର ବେଳେ କାହିଁକି ପୂଜା ପାଆନ୍ତି ପଟିଦିଅଁ |

Love with Khabar Satyabadi

ଖବର ସତ୍ୟବାଦୀ ଓଡ଼ିଆ NEWS |ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ l ଏହି କାଳକୁ ଅଣସର ବା ଅନବସର କୁହାଯାଏ l ସ୍ନାନ ଯାତ୍ରା ପରେ ପରମ୍ପରା ଅନୁସାରେ ଅନବସର ନୀତି ହୋଇଥାଏ l ଏହି ପ୍ରସିଦ୍ଧ ପାର୍ବଣ ର ଯେତେ ବିଧି ବିଧାନ ଅଛି ତାକୁ ୬ ଭାଗ ରେ ବିଭକ୍ତ କରାଯାଇଛି l ପ୍ରଥମ ହେଲା ସ୍ନାନ ଯାତ୍ରା , ଦ୍ବତୀୟ ଅନବସର , ତୃତୀୟ ଶ୍ରୀ ଗୁଣ୍ଡିଚା , ଚତୁର୍ଥ ଆଡ଼ପ , ପଞ୍ଚମ ବାହୁଡ଼ା , ଷଷ୍ଟ ନୀଳାଦ୍ରୀବିଜେ ଆକୁ ଶଡାଙ୍ଗ ସଂସ୍କାର କୁହାଯାଏ l ଆମ ଶରୀର ଭିତରେ ୬ ଟି ଭଲ ଜିନିଷ ଅଛି ଯଥା ସୌନ୍ଦର୍ୟ୍ଯ , ବିର୍ଯ୍ୟ ,ଓଦାର୍ଯ୍ୟ , ଗାମ୍ପୀର୍ଯ୍ୟ , ମାଧୁର୍ଯ୍ୟ , ଐସୁର୍ଯ୍ୟ ଆଉ ୬ ଟି ଖରାପ ଜିନିଷ ଭି ଅଛି କାମ, କ୍ରୋଧ, ଲୋଭ , ମୋହ , ମଦ , ମାସଚୁର୍ଯ୍ୟ l ଏ ସବୁ ୬ ର ସମାହାର ମଣିଷର ଯେତେବେଳ ଜୀବନ ସରିଯିବ ଜୀବନ ବ୍ୟାପି ସାଧନା ସରିଯାଏ ୬ ଖଣ୍ଡି କାଠରେ ତାକୁ ନିଆଯିବ ୫ ହେବନି କି ୭ ହେବନି ୬ଖଣ୍ଡି କାଠରେ ତାକୁ ନିଆଯାଏ l ଶଡାଙ୍ଗ ବିଧି ଭିତରେ ପାଳିତ ହୁଏ ଅଣସର ନୀତି l ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉ ମାନେ ସ୍ନାନ ବେଦୀରୁ ଗଲା ପରେ ଅଣସର ପିଣ୍ଡିରେ ଦଇତା ମାନେ ତାଙ୍କ ଶ୍ରୀମୁଖରେ ଲାଗିହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର ମେକାପ ଙ୍କୁ ହସ୍ତାନ୍ତର କରିଥାନ୍ତି l ତତ୍ପରେ କୋଠ ସୁଆଁସିଆ ମାନେ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ବେଢ଼ି ଦିଅନ୍ତି ଏବଂ ଧୁକୁଡି ଦ୍ୱାର ବାଟେ ଏକ ଚୋରା କବାଟ ରଖିଥାନ୍ତି l ଜଗମୋହନ ଏହି ବାଉଁଶ ତାଟି ରେ ୨ ଭାଗ ରେ ବିଭକ୍ତ ହୋଇ ଯାଇଥାଏ l ଭିତର ପଟ ଭାଗରେ ଦାରୁ ବିଗ୍ରହ ରୁହନ୍ତି ଓ ବାହାର ଭାଗ ରେ ଏକ ଖଟ ରଖା ଯାଇଥାଏ l ଏହାପୂର୍ବରୁ ଚିତ୍ରକାର ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ରଖିଥାନ୍ତି l
ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ l ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ l ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇବେ l ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ l କାଷ୍ଠ ନିର୍ମିତ ସୁଦୃଶ୍ୟ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହେଇ ପଦ୍ମାସନରେ ବସିଥାଆନ୍ତି l ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହେଇଥାଏ l ଚତୁଃହସ୍ତରେ ସେ ଧରିଥାଆନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ l ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଉର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ l କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି l ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ l ଚିତ୍ର ପାଇଁ ଧଳାରଙ୍ଗ ଶଙ୍କରୁ ପ୍ରସ୍ତୁତ ହେଉଥିବା ବେଳେ l କଳାରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା l ହିଙ୍ଗୁଳରୁ ନାଲି l ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ l
ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ, ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକ ପକ୍ଷ ବ୍ୟାପି ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ l ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ l ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି l ବଳଭଦ୍ରଙ୍କ ଆସ୍ଥାନ ସମୀପରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ, ସୁଭଦ୍ରାଙ୍କ ସମୀପରେ ରହେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପିତୁଳା ଦ୍ୱୟ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି l ଏହାପରେ ଦିଅଁମାନଙ୍କ ପୂଜାପଣ୍ଡା ସାମନ୍ତ ପଞ୍ଚାମୃତ ସ୍ନାନ ବଢ଼ାଇଥାନ୍ତି l ଏହି ଠାକୁରଙ୍କୁ ବଲ୍ଲଭ ସର୍ପା ମଣୋହି କରାଯାଇଥାଏ l ସମସ୍ତ ଦୈନିକ ନୀତି ଓ ଭୋଗ ହୋଇଥାଏ l ଏହି ସମୟରେ ଅନ୍ୟଦିନ ପରି ଧୂପ ରେ ମଇଲମ ହୋଇନଥାଏ l ପଟି ଦିଅଁ ଏବଂ ସେଠାରେ ଥିବା ଚଳନ୍ତି ବିଗ୍ରହଙ୍କ ରାତ୍ର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସର ରେ ଥିବା ଦାରୁଦିଅଁ ଙ୍କ ପାଖେ ଚକଟା ଭୋଗ ହୋଇଥାଏ l ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି l ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ l ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି l ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ l ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ l କେବଳ ଦଇତା ଓ ପତି ମହାପାତ୍ର ସେବକ ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ କରିଥାନ୍ତି l
ଅଣସର ନୀତି ଶ୍ରୀଅଙ୍ଗ ଫିଟା ସ୍ନାନମଣ୍ଡପରେ ସ୍ନାନଦ୍ୱାରା ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ l ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ l ଏହି ସମୟରେ ଦାରୁ ରୂପକୁ କରାଳ ରୂପ କରାଯାଏ l ଶ୍ରୀଅଙ୍ଗ ଫିଟା ଓ କରାଲ ହେଉଛି ଶ୍ରୀଅଙ୍ଗ ନିରାପତ୍ତା ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା l ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ ବିଗ୍ରହ ଗୁଡିକର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ l ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୁଆ, ଓ ଚନ୍ଦନ ଲେପକୁ ଅଲଗା କରାଯାଏ l ଅଲଗା ହୋଇଥିବା ପଦାର୍ଥମାନଙ୍କୁ “କରାଳ” କୁହାଯାଏ l ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥ ଙ୍କୁ ବିଷ୍ଣୁରୂପରେ ଦର୍ଶନ କରିଥାନ୍ତି l ପରମ ତାନ୍ତ୍ରିକ ବାବା ଅଲବନ୍ଦାଚାର୍ଯ୍ୟ ନାମକ ଜଣେ ତନ୍ତ୍ର ସାଧକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିବା ସମୟରେ ଅଣସର ହେତୁ ଦର୍ଶନ ପାଇ ପାରି ନ ଥିଲେ l ନିଜର ତନ୍ତ୍ର ସାଧନା ପ୍ରୟୋଗ କରି ସେ ଏକ ଭ୍ରମର ରୂପରେ ଅଣସର ଗୃହକୁ ପ୍ରବେଶ କରିଥିଲେ l ଅଣସର ଗୃହରେ ଏକ ଅଷ୍ଟଦଳ ପଦ୍ମ ଦେଖି ଅଲ୍‌ବନ୍ଦା ପଦ୍ମ ଉପରେ ବସିବାକୁ ଉଦ୍ୟମ କରିବା ବେଳେ ପଦ୍ମର ପାଖୁଡ଼ା ଗୁଡିକ ଜଣେ ଜଣେ ସୁନ୍ଦରୀ ନାରୀରେ ପରିଣତ ହୋଇ ଭ୍ରମରକୁ ଉପହାସ କରିଥିଲେ ଫଳରେ ଅଲ୍‌ବନ୍ଦାଚାର୍ଯ୍ୟ ଅପମାନ ପୂର୍ବକ ଜଗନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ ସମୁଦ୍ରରେ ପ୍ରାଣ ବିସର୍ଜନ ନିମନ୍ତେ ଉଦ୍ୟମ ହୁଅନ୍ତେ ହଠାତ୍ ଏକ ବିରାଟକାୟ ମର୍କଟ ତାଙ୍କ ସମ୍ମୁଖରେ ଲମ୍ଫ ପ୍ରଦାନ କରି ଦକ୍ଷିଣ ଦିଗକୁ ଗତି କରିଥିଲା l ଏହା ଭଗବାନଙ୍କ ନିର୍ଦ୍ଦେଶ ଭାବି ସେ ଦକ୍ଷିଣାଭିମୁଖୀ ଦିଗରେ ଯାତ୍ରା କରି ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠରେ ପହଞ୍ଚି ସେଠାରେ ଶିଳାରୂପୀ ବିଷ୍ଣୁ ବିଗ୍ରହଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ l ସେବେଠାରୁ ଅଲ୍ ବିନ୍ଦାଙ୍କ ପ୍ରଭୁ ବା ନାଥ ଅଲ୍ ବିନ୍ଦାନାଥ ଓ ପରେ ଅପଭ୍ରଂଶ ହୋଇ ଅଲାରନାଥ ନାମରେ ନାମିତ ହୋଇଛି ନ୍ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରୁହେ l ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି l ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି l କାରଣ ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ଲ

ଅଧିକ ଖବର ଦେଖନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS