ଓଡ଼ିଆ ଙ୍କ ଘରେ ସଠିଓଷା |

Love with Khabar Satyabadi

ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡ଼ିଆ NEWS : ଆମ ଓଡ଼ିଆ ରେ ବାରମାସ ରେ ତେରପର୍ବ ମଧ୍ୟରେ ଅନ୍ୟତମ ପର୍ବ ସଠିଓଷା |ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥିରେ ପୂର୍ବ ଉପକୂଳ ଓଡିଶାରେ ଷଷ୍ଠୀ ଦେବୀଙ୍କ’ ପୂଜା ଅନୁଷ୍ଠିତ ହୋଇଥାଏ। ମାଆ ଷଠି ଠାକୁରାଣୀ ସନ୍ତାନ ସନ୍ତତିଙ୍କୁ ହସେଇବା , ଖେଳେଇବା ଓ ଶାରିରୀକ ଶକ୍ତି ପ୍ରଦାନ କରି ମଜବୁତ୍ କରିବା ପାଇଁ କନ୍ଦାଇବା ଭଳି କାର୍ଯ୍ୟ କରିଥାନ୍ତି। ଷଠି ଦେବୀ ହେଉଛନ୍ତି ବଳ, ଆୟୁ, ସ୍ବାସ୍ଥ୍ୟ ପ୍ରଦାନକାରୀ ଦେବୀ। ଏହା ସହିତ ସନ୍ତାନ ସନ୍ତତିଙ୍କୁ ନିରୋଗୀ ରଖିଥାନ୍ତି ବୋଲି ସବୁ ମାଆଙ୍କର ବିଶ୍ଵାସ ରହିଛି। ଏଥିପାଇଁ ଆଜିର ଦିନରେ ମାଆ ଓ ଘରର ବଡ଼ ବଡ଼ ସ୍ତ୍ରୀଲୋକ ମାନେ ଯେମିତି ଖୁଡ଼ି, ଦେଠେଇ, ଭାଉଜ ଓ ବିବାହିତା ବଡ଼ ଭଉଣୀ, କୁନି କୁନି ପିଲା ଓ ସନ୍ତାନ ମାନଙ୍କୁ ଷଠି ଦେବୀଙ୍କ ନାମରେ ବନ୍ଦାପନା କରିଥାନ୍ତି। ଏଥିପାଇଁ ଦୁବ ବରକୋଳି ପତ୍ର ହଳଦିଆ ଅରୁଆ ଚାଉଳ ମୁଣ୍ଡରେ ପକାଇ ବନ୍ଦାପନା କରନ୍ତି। କପାଳ ଦେଶରେ ଚନ୍ଦନ ସିନ୍ଦୁର ଲଗାଇ ଦେଇଥାନ୍ତି। ହାତରେ ବେକରେ ଷଠି ସୂତା ବାନ୍ଧି ଦିଅନ୍ତି। ତା’ପରେ ପିଲାଙ୍କ ହାତରେ ଗୋଟିଏ ଲେଖାଁଏ ଚକୁଳି ପିଠା ଧରେଇ ଦେଇ, ଷଠି ଛାଟ, ଯେଉଁ ଛାଟ ରେ ସାତ ପ୍ରକାରର ଡ଼ାଳ ପତ୍ରକୁ ମିଶାଇ ବନ୍ଧା ଯାଇଥାଏ। ସେଇ ଛାଟରେ ପ୍ରଥମେ ମାଆ ତା’ପରେ ଅନ୍ୟ ଗୁରୁଜନ ସାତ ସାତ ପାହାର ଲେଖାଏଁ ଦେଇ କହିଥାନ୍ତି ଦୁଷ୍ଟାମୀ କରିବୁନି, ବଡ଼ମାନଙ୍କ କଥା ମାନିବୁ, ଗୁରୁଜନଙ୍କୁ ଭକ୍ତି କରିବୁ ଏଭଳି କହି ଷଠି ବାଡ଼ିରେ ଛାଟ ଦେବା ସହିତ ମାଆ ଷଠିଙ୍କ ଜିମାରେ ତାଙ୍କ ପିଲା ପିଲିଙ୍କୁ ମାନସିକ ବ୍ରତାନୁସାରେ ଛାଡ଼ି ଦେଇଥାନ୍ତି। ଏସବୁ ପରମ୍ପରାର ମୂଳ ଉଦ୍ଦେଶ୍ୟ ହେଉଛି, ସନ୍ତାନ ମାନଙ୍କ ଭିତରେ ଦେବାଦେବୀ, ଧର୍ମ, ସଂସ୍କାର, ସଂସ୍କୃତି, ଗୁରୁଜନଙ୍କ ପ୍ରତି ସ୍ନେହ ଭଲପାଇବାକୁ ସ୍ଥାପନା କରିବା। କାରଣ ସେମାନେ କଞ୍ଚା ମାଟି ସଦୃଶ୍ୟ। ତେଣୁ ଶୃଙ୍ଖଳା ସଂସ୍କାର ଦେବା ପାଇଁ ଏପରି ବ୍ୟବସ୍ଥାକୁ ଵଞ୍ଚେଇ ରଖାଯାଇଛି।ଆଜି ବି ବଞ୍ଚି ରହିଛି ପର୍ବ ପର୍ବାଣି ନିଆରା ପରମ୍ପରା ସଠିଓଷା |

ଅଧିକ ଖବର ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS