ସାକ୍ଷୀଗୋପାଳ ଙ୍କ ବାମନ ଅବତାର ଧାରଣ|

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା NEWS :ସାକ୍ଷୀଗୋପାଳ ଠାକୁର ବାମନ ଅବତାର ଧାରଣ କରିଥିବା ବେଳେ ସନ୍ଧ୍ୟାରେ ରାଜଵେଶରେ ଦର୍ଶନ ଦେଇଛନ୍ତି। ଦୈନନ୍ଦିନ ଦେବନୀତି ସହିତ ଦ୍ବିପ୍ରହର ଧୁପରେ ଠାକୁର ଆଣ୍ଠୁ ଉପରକୁ ଧଳା ଧୋତି ପରିଧାନ କରିଥିବା ବେଳେ ଧଳା ଦୋଶଡା, ପଇତା, ତ୍ରିପଣ୍ଡକ ଚିତା ଲାଗି ହୋଇଥିବା ଦେଖାଯାଇଥିଲା। ଏହି ଵେଶ ସନ୍ଧ୍ୟା ଧୁପ ଵେଶ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଶ୍ରୀକୃଷ୍ଣ ଙ୍କର ଦଶ ଅବତାର ମଧ୍ୟରୁ ବାମନ ଅବତାର ରେ ଠାକୁର ଏହି ବେଶ ଧାରଣ କରିଥିଲେ। ସେହିପରି ସୁନିଆଁ ଉପଲକ୍ଷେ ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳ ଠାକୁର ରାଜଵେଶରେ ଦର୍ଶନ ଦେଇଥିଲେ। ପରମ୍ପରା କ୍ରମେ ଅପରାହ୍ନରେ ମନ୍ଦିର ସିଂହଦ୍ଵାରକୁ ପୂର୍ଣ୍ଣକୁମ୍ଭ କଦଳୀ ଗଛ ଆମ୍ବଡାଳରେ ସଜ୍ଜିତ କରାଯାଇଥିଲା। ସନ୍ଧ୍ୟା ଧୁପ ବେଶରେ ଠାକୁର ପାଟ ପିତାମ୍ବରୀ କାଛିଲାଗି ହୋଇ ସୁବର୍ଣ୍ଣ କୀରିଟି, ବଂଶି, ମକର କୁଣ୍ଡଳ, ଚାପସରି, ନୁଡୁକ, ତାବିଜ, ବେଙ୍ଗପାଟିଆ, ବାଙ୍କି ନୁପୁର ଆଦି ସୁନାରୁପା ଅଳଙ୍କାର, ଫୁଲ ତୁଳସୀ ମାଳ ଲାଗିହୋଇ ରାଜବେଶରେ ଶୋଭାପାଇଥିଲେ। ପ୍ରତିବର୍ଷ ପରି ସ୍ଥାନୀୟ ଗୋପାଳପୁର ପାଟଣାର ମହାଜନ, ପ୍ରଜା, ସେଵାୟତ ଓ ଶ୍ରଦ୍ଧାଳୁ ମାନେ ମସାଲ ଜଳାଇ ସର, ଲବଣି, ଖୁରୁଡି ନଡ଼ିଆ, ଫଳଭାର ଓ ଫୁଲ ତୁଳସୀ ମାଳ ଆଦି ଠାକୁରଙ୍କୁ ଲାଗି ପାଇଁ ଆଣିଥିଲେ। ମନ୍ଦିର ସୁପରଭାଇଜର ବିଶ୍ବନାଥ ମହାପାତ୍ର ଜଣଜଣ କରି ତାଲିକା ପଢିଵା ପରେ ଭେଟି ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବର୍ଗର ସେଵାୟତ ପନିକି କୋରଣା କଟୁରି ପିଢା ଦୀପରୁଖା ପ୍ରଦାନ କରିଥିଲେ। ସ୍ଥାନୀୟ ରଙ୍ଗଣିସାହିସ୍ଥିତ ମହାଭୋଇ କୁଳର କୁନି ଗୋପାଳ ବାଳକ ପଵିତ୍ରତାର ସହ ଠାକୁରଙ୍କ ଲାଗି ସର, ଲବଣି ଭାର ନେଇ ମନ୍ଦିରକୁ ଆସିଥିବା ଦେଖାଯାଇଥିଲା।